Job 40

1ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ, 2“ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ ? ଯେ ପରମେଶ୍ୱରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ।”

ଆୟୁବଙ୍କ ନିରବତାର ପ୍ରତିଜ୍ଞା

3ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, 4“ଦେଖ, ମୁଁ ଅକିଞ୍ଚନା; ତୁମ୍ଭକୁ କି ଉତ୍ତର ଦେବି ? ମୁଁ ନିଜ ମୁଖରେ ଆପଣା ହାତ ଦିଏ। 5ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ; ହଁ, ଦୁଇଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ।”

ଆୟୁବଙ୍କୁ ପରମେଶ୍ୱରଙ୍କ ଆହ୍ୱାନ

6ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, 7“ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ; ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ।

8ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ ? 9ଅବା ତୁମ୍ଭର ବାହୁ କି ପରମେଶ୍ୱରଙ୍କ ବାହୁ ତୁଲ୍ୟ ? ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର ?

10ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ୱରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର। 11ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ ଓ ପ୍ରତ୍ୟେକ ଅହଙ୍କାରୀକୁ ଅନାଇ ତାହାକୁ ନତ କର।

12ପ୍ରତ୍ୟେକ ଗର୍ବୀକୁ ଅନାଇ ତାହାକୁ ନତ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ। 13ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ; ଗୁପ୍ତ ସ୍ଥାନରେ
40:13 ଗୁପ୍ତ ସ୍ଥାନରେ ଅର୍ଥାତ୍ ସିଓଲ୍ କିମ୍ବା ମୃତ୍ୟୁ ସ୍ଥାନ
ସେମାନଙ୍କ ମୁଖ ବାନ୍ଧି ପକାଅ।
14ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ, ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ୱୀକାର କରିବା।

15ବହେମୋତକୁ
40:15 ବହେମୋତକୁ ଏକ ବୃହତ ପଶୁ ଯାହା ଏକ ଜଳହସ୍ତୀ ପରି
ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ।
16ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ।

17ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ। 18ତାହାର ଅସ୍ଥିସବୁ ପିତ୍ତଳର ନଳ ପରି; ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି।

19ସେ ପରମେଶ୍ୱରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ; ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ୍ଗ ତାହାକୁ ସ୍ପର୍ଶ କରିପାରେ। 20ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି, ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି। 21ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ।

22ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ; ନଦୀର ବାଇଶ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ। 23ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ; ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ। ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ ? ଅବା ରଜ୍ଜୁ ଦ୍ୱାରା ତାହାର ନାସିକା ଫୋଡ଼ିବ ?

24

Copyright information for OriULB